ସୁନା ଚଢେଇ
17 ଜୁଲାଇ 2017
ଶେୟାର କରନ୍ତୁ :
ଆମ ଭିତରୁ ଅନେକ ବିଭିନ୍ନ ସଂକୀର୍ଣ୍ଣ କାରଣରୁ ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କରନ୍ତି। ଯେପରିକି, କାହା ଅଧୀନରେ କାମ କରିବାକୁ ହେବନାହିଁ। କିମ୍ବା ନିଜ ପସନ୍ଦ ମୁତାବକ କାମ କରିହେବ। ଅଥବା, ଇଚ୍ଛା ହେଲେ ବେଶୀ କାମ ବା ଇଚ୍ଛା ନ ହେଲେ କମ୍ କାମ କରିହେବ। କିନ୍ତୁ ଏଭଳି ମନୋଭାବ ନେଇ ବ୍ୟବସାୟ ଆରମ୍ଭ କଲେ, ସେଥିରେ ସଫଳ ହେବାର ସମ୍ଭାବନା କମ୍। ବ୍ୟବସାୟ କରିବାକୁ ହେଲେ ପରିଶ୍ରମକୁ ସାଥୀ କରିବାକୁ ହେବ।
ମୁଁ ଯେତେବେଳେ ଉଇପ୍ରୋ ସଂସ୍ଥାରେ ଜଣେ ମଝିଆଁମଝି ସ୍ତରର ମ୍ୟାନେଜର୍ ଥିଲି, ସେତେବେଳେ ଦିନେ ଖବର ଆସିଲା ଯେ ଉଇପ୍ରୋର ମାଲିକ ତାଙ୍କ ନିଜସ୍ବ ବିଭାଗ ପାଇଁ ଜଣେ ଦକ୍ଷ ଲୋକ ଖୋଜୁଛନ୍ତି ଏବଂ ମୋ ନାଁ ତାଙ୍କ ପାଖକୁ ପଠା ହୋଇଛି। ମୋ ପାଇଁ ଏହା ଥିଲା ବଡ ସମ୍ମାନର କଥା। କିନ୍ତୁ ଖବର ଆସିଲା ଯେ ବିଧିବଦ୍ଧ ଭାବରେ ତାଙ୍କ ବିଭାଗରେ ଯୋଗ ଦେବା ଆଗରୁ ସେ ମୋ ସାଙ୍ଗରେ କିଛି କଥା ହେବାକୁ ଚାହିଁଛନ୍ତି। ମୋତେ ପ୍ରେମ୍ଜୀ ଆଗରୁ ଜାଣିଛନ୍ତି, ଚିହ୍ନିଛନ୍ତି, ପୁଣି କି କଥା? ଯାହେଉ, ନିଧାର୍ଯ୍ୟ ସମୟରେ ମୁଁ ତାଙ୍କ ଅଫିସରେ ପହଞ୍ଚିଲି। ବିନା ଉପକ୍ରମଣିକାରେ ସେ ମତେ କହିଲେ ଯେ ତାଙ୍କର ଦୁଇଟି କଥା ପଚାରିବାର ଅଛି। ପ୍ରଥମତଃ, ମୁଁ ସପ୍ତାହକୁ କେତେ ଘଣ୍ଟା କାମ କରେ। ଦ୍ବିତୀୟତଃ, ଜରୁରୀ କଥାବାର୍ତ୍ତା ପାଇଁ ମୁଁ ଘରେ ଥିବା ବେଳେ ସେ ମୋତେ କେଉଁ ସମୟରେ ଫୋନ୍ କଲେ ମୋର ସୁବିଧା ହେବ? ଭୋରରୁ ନା ରାତି ଡେରିରେ?
ମୁଁ ଆଶ୍ଚର୍ଯ୍ୟ ହେଲି। ଏଭଳି ଦୁଇଟି ପ୍ରଶ୍ନର ଅର୍ଥ କ’ଣ? ପ୍ରେମଜୀ କହିଲେ ଯେ ସମସ୍ତଙ୍କର ପରିଶ୍ରମ କରିବାର କ୍ଷମତା ଭିନ୍ନ। ସେ ନିଜେ ସପ୍ତାହକୁ ଅଶୀ ଘଣ୍ଟା କାମ କରନ୍ତି। ହେଲେ ତା’ ମାନେ ନୁହଁ ଯେ ସମସ୍ତେ ସେଇଭଳି ଅଶୀଘଣ୍ଟା କାମ କରିପାରିବେ। ଏହା ନେଇ ସେ ମନରେ ଅନ୍ୟ ଲୋକକୁ ନେଇ କୌଣସି ଭାବନା ରଖନ୍ତି ନାହିଁ। କିନ୍ତୁ ଜଣେ ଯଦି ଅନ୍ତତଃ ସତୁରୀ ଘଣ୍ଟା କାମ ନ କରେ, ତେବେ ସେ ତାଙ୍କ ସହିତ ତାଳ ଦେଇପାରିବନି। ସେଥିପାଇଁ ସେ ପ୍ରଥମରୁ ବୁଝିନିଅନ୍ତି। ଦ୍ବିତୀୟରେ, କେତେକ ଲୋକ ରାତି ଡେରିଯାଏଁ ସହଜରେ କାମ କରିପାରନ୍ତି। ସକାଳୁ ଉଠି କାମ କରିବା ସେମାନଙ୍କ ପାଇଁ କଷ୍ଟକର। ସେଇଭଳି ଅଛନ୍ତି ଆଉ କେତେକ, ଯେଉଁମାନେ କି ସକାଳୁ କାମ କରିବା ପସନ୍ଦ କରନ୍ତି, ଅଥଚ ରାତି ଡେରିଯାଏଁ ଅନିଦ୍ରା ରହିପାରନ୍ତି ନାହିଁ। ପ୍ରେମ୍ଜୀ ଅନ୍ୟକୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ। ତେଣୁ ପ୍ରଥମରୁ ବୁଝିରଖନ୍ତି ସେକଥା।
ମୁଁ ସେଦିନ ଅବାକ୍ ହୋଇଥିଲି। ପ୍ରେମ୍ଜୀ ଜଣେ ବିଶ୍ବମାନର ବ୍ୟବସାୟୀ ଏବଂ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଭିତରେ ଜଣେ, ଅଥଚ ସେ ତାଙ୍କର କର୍ମଚାରୀମାନଙ୍କ ଅପେକ୍ଷା ଅଧିକ ପରିଶ୍ରମ କରନ୍ତି। ନିଜେ ଭୋରରୁ ଆରମ୍ଭ କରି ରାତି ଡେରିଯାଏଁ କାମ କରନ୍ତି। ସେଦିନ ମୁଁ ଗୋଟିଏ କଥା ଠିକ୍ ବୁଝିଥିଲି। ପରିବାରରେ ଯେମିତି ବାପା ମା’ଙ୍କ ଆଚରଣ ଦେଖି ଆମେ ନିଜ ଆଚରଣ ଠିକ୍ କରୁ, ଠିକ୍ ସେଇମିତି ବ୍ୟବସାୟରେ ମାଲିକଙ୍କର କାର୍ଯ୍ୟକଳାପ ଅନ୍ୟ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥାଏ।
ସଫଳ ବ୍ୟବସାୟୀମାନଙ୍କର ଆଉ ଗୋଟିଏ ବିଶେଷ ଗୁଣ ହେଲା ସୁଯୋଗକୁ ହାତଛଡା ନ କରିବା। ‘କ୍ୟାଫେ କଫି ଡେ’ର ମାଲିକ ସିଦ୍ଧାର୍ଥଙ୍କ କଥା ଲେଖୁଛି। ସିଦ୍ଧାର୍ଥ ଚାଷୀ ପରିବାରର ପୁଅ। ବହୁ ପିଢି ଧରି ପରିବାରଟି ୬୦ ଏକର ଚାଷଜମିରେ କଫି ଚାଷ କରିଆସୁଥିଲେ। କିନ୍ତୁ କଫି ଚାଷ ଆମ୍ବ ଆଉ ଧାନ ଭଳି। ଗୋଟିଏ ବର୍ଷ ବହୁତ ଅମଳ ହେଲେ, ପର ବର୍ଷ କମ୍ ଅମଳ ହୁଏ। ବେଶୀ ଅମଳ ହେଲେ ଚାଷୀ ମଧ୍ୟସ୍ଥ ବେପାରୀଙ୍କୁ କମ୍ ଦାମରେ କଫି ମଞ୍ଜି ବିକ୍ରି କରିବାକୁ ବାଧ୍ୟ ହୁଏ। ଯେଉଁ ବର୍ଷ ଫସଲ ମନ୍ଦ ହୁଏ, ଚାଷୀର ମୂଳଧନ ହାସଲ ହୁଏ ନାହିଁ। ଏଭଳି ପରିସ୍ଥିରେ ବହୁ କଫି ବ୍ୟବସାୟୀ କଫିଚାଷ ବନ୍ଦ କରିଦେଲେ। କିନ୍ତୁ ସିଦ୍ଧାର୍ଥ ହାରିଯିବାକୁ ପ୍ରସ୍ତୁତ ନଥିଲେ। କ’ଣ କଲେ ଏ ସମସ୍ୟାର ସମାଧାନ ହୋଇପାରିବ, ତାହା ଚିନ୍ତା କରିଲେ। ଏଭଳି ସମୟରେ ଥରେ ସେ ସିଙ୍ଗାପୁର ଯାଇଥିଲେ। ସେଠାରେ ଦେଖିଲେ ଯେ ଇଣ୍ଟର୍ନେଟ୍ କିଓସ୍କ୍ରେ କମ୍ ବୟସର ପିଲାମାନେ ଟଙ୍କା ଦେଇ ଇଣ୍ଟର୍ନେଟ୍ ବ୍ୟବହାର କରୁଛନ୍ତି। ସିଦ୍ଧାର୍ଥ ସେଇ ମୁହୂର୍ତ୍ତରେ ସ୍ଥିର କଲେ ଯେ ଭାରତ ଫେରିଯିବା ପରେ ସେ ଏଭଳି କଫିସପ୍ କରିବେ, ଯେଉଁଠି କଫି ବି ବିକ୍ରି ହେବ ଏବଂ ଇଣ୍ଟର୍ନେଟ୍ର ସୁବିଧା ମଧ୍ୟ ଥିବ।
ସିଦ୍ଧାର୍ଥଙ୍କ ଅଫିସ୍ର ଅନ୍ୟମାନେ ସେତେବେଳେ ତାଙ୍କୁ ନିରୁତ୍ସାହିତ କରିଥିଲେ। ସେମାନେ କହିଥିଲେ ଯେ ସାଧାରଣ ହୋଟେଲ୍ରେ ଯେଉଁଠି ବେଶ୍ କମ୍ଦାମ୍ରେ କଫି କପ୍ଟିଏ ମିଳୁଛି, କିଏ କାହିଁ ଛଅ ସାତଗୁଣ ଅଧିକ ଟଙ୍କା ଦେଇ କଫି କିଣିବ? କିନ୍ତୁ ସିଦ୍ଧାର୍ଥଙ୍କର ମନେ ହୋଇଥିଲା ଯେ କଫିସପ୍ ଭଲ ଚାଲିବାର ସମ୍ଭାବନା ଅଛି ଏବଂ ଏହି ସୁଯୋଗ ହାତଛଡା କରିବା କଥା ନୁହଁ। ବର୍ତ୍ତମାନ ସାରା ଭାରତ ବର୍ଷରେ ‘କ୍ୟାଫେ କଫି ଡେ’ ୧୦ଲକ୍ଷରୁ ଅଧିକ କଫି ବିକ୍ରି କରୁଛି। ଆଉ ସିଦ୍ଧାର୍ଥଙ୍କର ପାରିବାରିକ ଜମି ୬୦ ଏକରରୁ ବଢି ବଢି ୧୦୦୦୦ ଏକରରୁ ଅଧିକ।
ଏଭଳି ସଫଳତା ପଛରେ ଅଧ୍ୟବସାୟ, ପରିଶ୍ରମ ରହିଛି ନିଶ୍ଚୟ, କିନ୍ତୁ ସବୁଠାରୁ ବଡ କଥା ହେଲା ଠିକ୍ ସମୟରେ ସୁଯୋଗକୁ ହାତମୁଠାରେ ଧରିନେବା। ସିଙ୍ଗାପୁର ରାସ୍ତାରେ ଘୁରି ବୁଲୁଥିବା ତିରିଶ ବର୍ଷର ଯୁବକ ସିଦ୍ଧାର୍ଥ ଅନ୍ୟମାନଙ୍କର ନିବୃତ୍ତିରେ ହତୋତ୍ସାହିତ ହୋଇପାରିଥାଆନ୍ତା। ନିଜ କଳ୍ପନାକୁ ମନରୁ ପୋଛି ଦେଇପାରିଥାଆନ୍ତା। କିନ୍ତୁ ତା’ ନକରି ସେ ସୁଯୋଗର ସୁନା ଚଢେଇକୁ ନିଜ ପଞ୍ଜୁରୀରେ ଧରି ରଖିନେଲା।
କଥାଟି ଶୁଣିବାକୁ ଯେତେ ସହଜ, ବାସ୍ତବରେ ତାହା ଏତେ ସହଜ ନୁହଁ। ଅନେକ ସମୟରେ ଚାହିଁଥିବା ଜିନିଷ ଓ ପାଇଥିବା ଜିନିଷ ଭିନ୍ନ ହୋଇଯାଇପାରେ; ଆଉ ପୁଣି କେତେବେଳେ ସୁନା ଚଢେଇ ଥରକରେ ଧରା ଦିଏନାହିଁ। ଏ ଆଲୋଚନା ଆରଥରକୁ।